ତାଜା ଖବର

କ୍ରାନ୍ତି ଦିବସରେ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା

Odisha: ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ଆଜି ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା (୯୪ )ଙ୍କୁ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି l ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଶ୍ରୀ ଗୁପ୍ତା ରାଷ୍ଟ୍ରପତି ଭବନକୁ ନଯାଇ ତାଙ୍କ ନିଜ ବାସଭବନ ମାନେଶ୍ଵର ବ୍ଳକ୍‍ ନୂଆ ତିହୁରା ପଞ୍ଚାୟତ ଅନ୍ତର୍ଗତ ମୁରା କଲମୀ ଗ୍ରାମରେ ସମ୍ବର୍ଦ୍ଧିତ ହୋଇଛନ୍ତି। ସମ୍ବଲପୁର ସଦର ଉପ ଜିଲାପାଳ ଅନିରୁଦ୍ଧ ପ୍ରଧାନ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଗୁପ୍ତା ଙ୍କ ବାସଭବନରେ ପହଞ୍ଚି ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ପ୍ରଦତ୍ତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଆଜି ତାଙ୍କ ବାସଭବନରେ ଏହି ସମ୍ବର୍ଦ୍ଧନା ପ୍ରଦାନ କରିବା ସମୟରେ ରେଙ୍ଗାଲି ବିଧାୟକ ନାଉରି ନାୟକ, ଜ଼ିଲ୍ଲା ପରିଷଦ ସଭାପତି ରାଧେ ଶ୍ୟାମ ବାରିକ, ମାନେଶ୍ଵର ବ୍ଲକ ସାଂସଦ ପ୍ରତିନିଧି ରମେଶ ପ୍ରଧାନ, ନୂଆ ତିହୁରା ପଂଚାୟତ ସରପଞ୍ଚ ବିଦ୍ୟା ଧର ମାଝୀ, ମୁରାରୀ ସାହ, ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

ଏଠାରେ ସୂଚନା ଯୋଗ୍ୟ ଯେ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଗୁପ୍ତା ଏହା ପୂର୍ବରୁ ୨୦୧୮ ମସିହା କ୍ରାନ୍ତି ଦିବସ ରେ ଦିଲ୍ଲି ଯାଇ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ୧୯୨୬ ମସିହାରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ଥିବା ତିଲିଆ ଫଟାପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ ସ୍ୱାଧୀନତା ସଂଗ୍ରାମୀ l ୧୬ ବର୍ଷ ବୟସରୁ ଦେଶ ପ୍ରେମରେ ଉଦ୍ବୃଦ୍ଧ ହୋଇ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ l ୧୯୪୨ ମସିହାରେ ସାଥିମାନଙ୍କ ସହିତ ଇଂରେଜ ସରକାର ଦ୍ୱାରା ଗିରଫ ହୋଇ ବର୍ଷେ ପର୍ଯ୍ୟନ୍ତ ସଶ୍ରମ କାରାବରଣ କରିବା ସହିତ ଅର୍ଥ ଦଣ୍ଡରେ ମଧ୍ୟ ଦଣ୍ଡିତ ହୋଇଥିଲେ। ଆଜି ବି ସେହି ସଂଗ୍ରାମୀ ଦିନର ଅଭୁଲା ସୄତିକୁ ମନେ ପକାଇ ନିଜକୁ ଗର୍ବିତ ମନେ କରନ୍ତି ସ୍ଵାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା ।

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button